ଯାହା ପାଇଁ ଯିଏ ଜନମ

 

 

 

 

 

 

 

 

 

ଯାହାପାଇଁ ଯିଏ ଜନମ

ଶ୍ରୀ ଗୋଦାବରୀଶ ମହାପାତ୍ର

 

ଏକ ରାଇଜରେ ଏକ ରାଣୀ ଥାଆନ୍ତି ଯେ, ସେ ବିଧବା । ତାଙ୍କର ମାଳତୀଝରା ବୋଲି ଦିବ୍ୟ ସୁନ୍ଦର ଝିଅଟିଏ । ଝିଅକୁ ଦଶ ବରଷ ପୂରିଲାରୁ ବିଭାଘର ପେଇଁ କେତେଆଡ଼ୁ କେତେ ପ୍ରସଙ୍ଗ ଆସି ପଡ଼ିଲା । ଶେଷକୁ ମାଳତୀଝରା ଅଖଣ୍ଡଳ ରାଇଜ ରଜାପୁଅର ହାତ ଧଇଲା ।

 

ବିଭାଘର ସରିଲାରୁ ରଜାପୁଅ ଗଲା ତା ରାଇଜକୁ, ଜେମା ରହିଲା ବାପଘରେ । କେତେଦିନ ଉତ୍ତାରୁ ଜେମା ବଡ଼ ହେଲା । ମାତ୍ରକ ରାଣୀଙ୍କର ତ ସେ ଗଣ୍ଠି ସଙ୍ଖାଳି, ଦଣ୍ଡେ ନ ଦେଖିଲେ ତାଙ୍କୁ ଅନ୍ନପାଣି ରୁଚେ ନାଇଁ, ଝିଅକୁ ଶାଶୁରଘରକୁ ଛାଡ଼ିଦେବାକୁ ତାଙ୍କ ମନ ହୋଉଚି କେତେକେ ? ଇମିତି ଇମିତି ହେଇ କେତେଦିନ ଗଲା । ସମୁଧିଘରୁ ଡାକରା ଉପରେ ଡାକରା ଆସିଲା । ଝିଅ ତ ନିଶ୍ଚେଁ ଯିବ, ରାଣୀ ସେଠୁ କେତେ ଅପୂରୁବ ଜିନିଷ, କେତେ ହୀରା ନୀଳା ମୋତି ମାଣିକ, କେତେ ପାଟପତନି, ଯାହା ଯିମିତି ପାରିଲେ ସବୁ ଝିଅପାଇଁ ସଜାଡ଼ି ରଖିଲେ । ଜୋତିଷ ଆସି ଅନୁକୂଳ ଲାଗି ଦିନ ତିଥି ବେଳା ଗଣି ଦେଇଗଲା । ଜେମା ଯିବ ତିନିମାସର ବାଟ ଶାଶୁ ଘରକୁ । ସବୁ ସଜବାଜ ହେଲା । ରାଣୀ ଝିଅ ସାଙ୍ଗରେ କଳାବତୀ ବୋଲି ଗୋଟିଏ ଦାସୀକି ପଠେଇଲେ । ଦୁହିଙ୍କପେଇଁ ଯୋଡ଼ିଏ ଘୋଡ଼ା ଦେଲେ । ଜେମା ଘୋଡ଼ାଟିର ନାଁ ‘ମନମିରିଗ ।’ ସିଏ କ’ଣ କରେ ନା, ମଣିଷ ପରି ସଫା କଥା କହେ ।

 

ଝିଅ ଜନମକ ଲାଗି ଶାଶୁଘରକୁ ଯିବ, ପକ୍ଷକ ଆଗରୁ ରାଣୀଙ୍କ ଆଖିରୁ ଲୁହ ଶୁଖିବାକୁ ନାଇଁ । ଭାରିଲା ଦିନ ରାଣୀ କ’ଣକଲେ କି ଶୋଇବା ଘରକୁ ଯାଇ ଆପଣା ମୁଣ୍ଡରୁ କେରିଏ ବାଳ କାଟିଲେ, ଫରୁଆଟିରେ ପୁରାଇ ଝିଅହାତରେ ଦେଲେ । କହିଲେ, ‘‘ମାଆ ମୋର, ଇଟିକି ବଡ଼ ଯାବତାରେ ରଖିଥିବୁ । ବାଟରେ ବିପଦ ପଡ଼ିଲେ ତତେ ଇଏ ସାହା ହବ ।’’ ମାଆ ଝିଅ କେତେ କାନ୍ଦିଲେ । ଝିଅ ଘୋଡ଼ାରେ ଚଢ଼ି ଦାସୀ ଆଉ ଚାକରବାକରଙ୍କ ସାଙ୍ଗେ ବାଙ୍କ ବୁଲିଲାଯାଏଁ ମାଆ ସେମିତି ଚାହିଁଥାନ୍ତି । ଝିଅ ଲେଉଟି ଚାହିଁ ଚାହିଁ ଆଖି ଆଗରୁ ଲୁଚି ଗଲା ।

 

ସେମାନେ ନଅର ଛାଡ଼ି କେତେଦିନର ବାଟ ଗଲେ । ଯାଉ ଯାଉ ଏକ ବନସ୍ତ ପଡ଼ିଲା ଯେ, ଆଖପାଖରେ ଗାଁ ଗଣ୍ଡା କିଛି ନାଇଁ । ଜେମାକୁ ଭାରି ଶୋଷ କଲା । ସେ ଦାସୀକି ଡାକି କହିଲା ‘‘କଳାବତୀ,ଯାଆ କି ଆଡ଼ୁଖୁଡ଼ରୁ ଢାଳ ନେଇ ମୋ ପେଇଁ ଝରଣାରୁ ପାଣିମନ୍ଦିଏ ଆଣିମୁ-।’’ ଦାସୀ ୟା ଶୁଣି ମୁହଁ ଫିଣି ଫିଣି କରି କହିଲା, ‘‘ଯାଆ ମ, ତମ ପେଇଁ ଇଲେ ପାଣି ଆଣିଦେବି ନା ? ମନ ହଉଚି ଯେମନ୍ତ, ଝରରେ ମୁହଁ ଲଗେଇ ମନ୍ଦେ ତ ପିଇଦେଇ ଆସିବ, ମୁଁ ତମର ଏତେ ବୋଲକରା ଦାସୀ ହୋଇପାରିବି ନାଇଁ ।’’

 

ସେଇ ଯୁ କଳାବତୀ ବୋଲି ଦାସୀଟି, ସେ ଗୋଟିଏ ଅସୁରୁଣୀର ନାତୁଣୀ । ସେ କେତେ ମନ୍ତର ଜାଣେ । ମନ୍ତର କରିଦେଇ ସେ ଲୋକଙ୍କୁ ମାରିପକାଏ । ମାଳତୀଝରା କି ତା ମାଆ ଏ କଥା କିଛି ଜାଣନ୍ତି ନାଇଁ । ମାଳତୀଝରା ସାଙ୍ଗରେ ଯୁ ଚାକର ବାକର ଆସିଥିଲେ, ରାତିକେ ଗୋଟିଏ ଗୋଟିଏ କରି ବାଟରେ ସିଏ ସମସ୍ତିଙ୍କି ଖାଇଦେଇଚି, ଆଉ ମାଳତୀଝରାକୁ ବୁଝେଇଚି ଯେ, ସେମାନେ ଆଗେ ଆଗେ ଗଲେଣି, ରଜାଘରେ ଖବର ଦେବେ ।

 

ଜେମାର ତୋଟି ଶୁଖି ଯାଉଥିଲା । ମାଆ ଅଛି ଯେ ଅଳି କରି କହିବ ନା ଅହିମାନ କରି ରହିବ ? ଘୋଡ଼ାରୁ ଓହ୍ଲେଇ ଝର ପାଖକୁ ଗଲା; ଯାଇ ଚଳା ଚଳ କରି ମନ୍ଦିଏ ପାଣି ପିଇଲା । ଦାସୀ କଥାରେ ଦୁଃଖ ଅହିମାନରେ ତା ବୁକୁ ଫାଟି ଯାଉଥେ । ପଣତ କାନିରେ ଲୁହ ପୋଛି ପୋଛି ବିଚାରିଲା, ‘‘ପୋଡ଼ା କପାଳରେ ପୁଣି ୟା ଥିଲା ?’’ ମାଆ ଯୋଉଁ ବାଳକେରିକ ଦେଇଥିଲେ, ଜେମା ତାକୁ କାନିରେ ବାନ୍ଧିଥିଲା । ଜେମାର ମନକଥା ଜାଣି ସେଇ ବାଳକେରିକ କହିଲା :–

 

‘‘ମାଳତୀ ଝରା ଗୋ ମାଳତୀଝରା !

ମାଆ ଯେବେ ଜାଣୁଥାଆନ୍ତେ ୟାକୁ

ଦୁଃଖେ ଫାଟି ଯାଉଥାଆନ୍ତା ବୁକୁ ।’’

 

ଜେମା ତ ସିମିତି ଦୁଷ୍ଟପିଲା ନୁହେ, ଦାସୀକଥାକୁ ସିଏ ସିନା ଅହିମାନ କଲା, ଆଉ କିଛି କହିଲା ନାଇଁ । ଦିହେଁ ଫେରେ ଘୋଡ଼ାରେ ଚଢ଼ି ଗଲେ ।

 

ଯାଉ ଯାଉ ଆଉ ଏକ ଅପନ୍ତରା ଗହୀର ପଡ଼ିଲା ଯେ, ସେ ଲମ୍ବରେ ଦଶକୋଶ, ଓସାରରେ ଦଶକୋଶ । ଉଦୁଉଦିଆ ଦିପହର ହେଇଗଲା । ସେଇ ଗହୀର ଶେଷମୁଣ୍ଡକୁ ଏକ ନଈ-। ଜେମା ନଈ ତଡ଼ରେ ଗୋଟିଏ ଗଛ ମୂଳରେ ବସିଲା । ଦାସୀକି କହିଲା, ‘‘ଯାଆକି, ପାଣିମନ୍ଦିଏ ଆଣି ଦବୁ ।’’ ଦାସୀର ସେଇଦିନ କଥା ଜେମାର ଆଉ ମନେ ନାଇଁ । ଦାସୀ ୟା ଶୁଣି ଆଉରି ହାଣି ହାଣି କଥା କହିଲା, ‘‘ତମ ମନ ହେଲେ ତମେ ପିଅ, ନ ପିଅ , ମୁଁ କିଆଁ ଦାସୀ ହୋଇକରି ଧାଉଁଥିବି ?’’

 

ଜେମାକୁ ତ ଖରାରେ ଦହକ ବିକଳ ଲାଗୁଥିଲା, ଇ କଥା ଶୁଣି କୋହ ଉଠିଲା । ହେଲେ କହିବ କାହାକୁ ? ଗୋଟିଏ ଗୋଟିଏ ନଈ ଭିତରକୁ ଗଲା । ନଈରେ ଗୋଟା ଛାଏଁ ବେକଯାଏଁ ବୁଡ଼େଇ ଦେଇ ପାଣି ପିଉଥେ, ବିଚାରୁଥେ,‘‘ହାଆରେ ଦଇବ, କାହା ଝିଅ କାହା ଭାରିଯା ହେଇ ପୁଣି କପାଳରେ ୟା ଲେଖାଥିଲା ?’’ କାନିରେ ଏଣେ ବନ୍ଧା ହୋଇଥିବା ବାଳକେରିକ କହିଲା :–

 

‘‘ମାଳତୀଝରା ଗୋ ମାଳତୀଝରା !

ମାଆ ଯେବେ ଜାଣୁଥାଆନ୍ତେୟାକୁ

ଦୁଃଖେ ଫାଟି ଯାଉ ଥାଆନ୍ତା ବୁକୁ ।’’

 

ଇ ସମୟରେ କ’ଣ ହେଲା ନା, ଜେମା ପାଣି ପିଉ ପିଉ ତା ବାଳ କେରିକ କାନିରୁ ଫିଟି ନଈରେ ଭାସିଗଲା । ଜେମା କୂଳକୁ ଆସି ଦେଖିଲା ବେଳକୁ କାନିରେ ଆଉ ବାଳ ନାହିଁ । ତା ଦିହରୁ ରକତ ଶୁଖିଗଲା । ଏ କଥା ଦାସୀ ଦେଖିଲେ । ତା ବୁକୁ ଆନନ୍ଦରେ କୁଣ୍ଢେ ମୋଟ ହେଲାଣି-। କାଇଁକି ନା, ସିଏ ଜାଣିଥେ ଯେ, ସେଇ ବାଳ ଜେମାକୁ ସବୁ କଥା କହି ଦେଉଚି । ଏଣିକି ଜେମାକୁ ହରକତ କରିବାକୁ ତାକୁ ସଜ ହେଲା । ଗାଧୁଆ ପାଧୁଆ ସାରି ଦିହେଁ ଯେତେବେଳେ ଘୋଡ଼ା ପାଖକୁ ଗଲେ, ଦାସୀ କ’ଣ କଲା ନା ଜେମାର ମନମିରିଗ ଘୋଡ଼ାକୁ ଧଇଲା ସିଏ ବସିବ ବୋଲି । ଜେମାକୁ ତା ଘୋଡ଼ାଟିକୁ ଦେଲା । ଜେମା ତ ଏକୁଟିଆ, ତାର ଆଉ କିଛି କହିବାକୁ ହୁବ ପାଇଲା ନାହିଁ । ଦାସୀ ଜେମାଠୁ ସବୁ ପାଟପତନି ଅଳଙ୍କାରପତ୍ର ଛଡ଼େଇ ପିନ୍ଧିଲା, ରଜାଝିଅ ପରି ମନମିରିଗ ଘୋଡ଼ାରେ ବସି ଚାଲିଲା । ଜେମା ଦାସୀର ପାଲଟା ଲୁଗା ଖଣ୍ଡି ପିନ୍ଧି ଆର ଘୋଡ଼ାଟିରେ ବସି ଲୁହ ପୋଛି ପୋଛି ପଛେ ପଛେ ଗଲା । ଦାସୀ ବାଟରେ ଜେମାକୁ ଡରେଇ ଥାଏ, ‘‘ତୁ ଯେବେ ଏ କଥା ସବୁ ଆଉ କାହାକୁ କହି ଦବୁ ତେବେ ତତେ ସାତଗଡ଼ କରି ହାଣି ତଳ କଣ୍ଟା ଉପର କଣ୍ଟା କରି ପୋତି ଦେବି ।’’ ହେଲେ, ସିଏ ଜେମାକୁ ଅନ୍ୟାସକାରଣରେ ଯେ ଏତେ ଏତେ ଦଣ୍ଡ ଦେଉଚି, ଏକଥା ମନମିରିଗ ସବୁ ଦେଖୁଥାଏ ।

 

ଇମିତି ଯାଇ ଯାଇ କେତେଦିନ ଉତୁରୁ ଦିହେଁ ରଜାଙ୍କ ନଅର ପାଖେ ଯାଇ ପହଞ୍ଚିଲେ-। ରଜାପୁଅ ତ ସାତବର୍ଷ ତଳେ ମାଳତୀଝରାକୁ ବିଭା ହେଲାବେଳେ ଦେଖିଥିଲା, ଏବେ ଆଉ ସେ ତାକୁ ଚିହ୍ନିପାରିଲା ନାହିଁ । ସେ ଉଆସରୁ ଆସି ରାଣୀ ବୋଲି ଭାବି ଦାସୀ ହାତ ଧରି ଭିତରକୁ ନେଇ ଗଲା ।

 

ଏଇ ସମୟକୁ ବୁଢ଼ା ରଜା ନଅର ଉପରେ ପା’ଚାରି କରି ବୁଲୁଥିଲେ । ଦେଖିଲେ, ଦିବ୍ୟ ସୁନ୍ଦର ସ୍ତିରୀଟିଏ ଦୁଆରମୁହଁରେ ଠିଆ ହେଇଚି। ନୂଆ ରାଣୀକି ପଚରା ହେଲାରୁ ସିଏ କହିଲା, ‘‘ସିଏ ଦାସୀ ହେଇ ମୋ ସାଙ୍ଗରେ ଆସିଚି। ଇମିତି ସ୍ୱର୍ଗ ଅପସରୀ ପୁଣି ଦାସୀ ହେଇ ଖଟିବ ?’’ ବିଚାରି ବୁଢ଼ା ରଜାଙ୍କ ମନ ଖାଲି ବିଥେଇ ହେଲା । ତାଙ୍କର ଗୁଡ଼ିଏ ପୋଷା ହଂସ ଥାଆନ୍ତି ଯେ ମଦନା ବୋଲି ଗୋଟିଏ ପିଲା ତାଙ୍କୁ ଜଗାରଖା କରୁଥେ । ରଜା କହିଲେ, ‘‘ନାଇଁ ନାଇଁ, ଏ ଦାସୀ ପାଇଟିପତ୍ର କିଛି କରିବ ନାଇଁ । ୟା ଦିହକୁ ବାଧିବ । ମଦନା ସାଙ୍ଗେ ଇଏ ସବୁଦିନ ହଂସଗୁଡ଼ିକୁ ଚରେଇ ନବ, ଆଣିମ, ଏଇତା କରିବ ।’’

 

ସେଇଦିନୁ ମାଳତୀଝରା ମଦନା ସାଙ୍ଗେ ସକାଳୁ ମୁଠିଏ ଖାଇ ଦେଇ ଯାଏ ଯେ ରୁମଲୁଚା ବେଳକୁ ନଅରକୁ ଆସେ । ଦିପହରେ ଭୋକ କଲେ କାନିରେ କ’ଣ ପୁଞ୍ଜିଏ ବାନ୍ଧି ନେଇ ଥାଆନ୍ତି ଯେ, ସେ ଦିହେଁ ସାଙ୍ଗ ହେଇ ଖାଆନ୍ତି । ମଦନା ଯୁ’ ଘରେ ଥାଏ, ମାଳତୀଝରା ତା ପାଖ ଘରେ ରହେ ।

 

କେତେ ଦିନ ଗଲାରୁ ସେଇ ଯୋଉ ଦାସୀ ରାଣୀ ହୋଇଥିଲା ରଜାପୁଅକୁ କହିଲା, ‘‘ମୁଁ ଗୋଟିଏ କଥା କହିବି । କରିବ ବୋଇଲେ ହଁ କର ।’’ ରଜାପୁଅ ହଁ କଲାରୁ ସେ କହିଲା, ଆମ ଘୋଡ଼ାଶାଳରେ ମନମିରିଗ ବୋଲି ଯୁ’ ଘୋଡ଼ାଟା ଅଛି ତାକୁ ହଣେଇ ଦିଅ । ବାଟରେ ଅଇଲାବେଳେ ମତେ ସିଏ ଯେତେ ହଟହଟା କରିଚି ସେ କଥା ବିଚାରି ଦେଲେ ମୋ ଦିହ ଥରୁଚି । ତାକୁ ନ ହଣେଇଲେ ମୁଁ ଆଉ ଅନ୍ନ ପାଣି ଛୁଇଁବି ନାଇଁ ।’’

 

ମାତ୍ରକ ଅସଲ ଭିତିରି କଥା ହେଉଚି, ରାଣୀ ମନରେ ଦକା ପଶିଲା, ମନମିରିଗ ତ କଥା କହେ, ସିଏ କାଳେ ମାଳତୀଝରା କଥା କହି ପକାଇବ । ତାହାହେଲେ ତା ଦୁଃଖ କାହାଣୀ ଗାଇବ ନାଇଁ । ରଜା ପୁଅ ତ ଏତେ କଥା ଜାଣେ ନାଇଁ, ସିଏ ହୁକୁମ ଦେଲା, ମନମିରିଗ ଅନ୍ୟାସକାରଣରେ ହାଣ ଖାଇଲା ।

 

ଏ କଥା ଶୁଣି ମାଳତୀଝରା କେତେ କାନ୍ଦିଲା ବୋବେଇଲା, ହେଲେ ତା ଦୁଃଖ ବୁଝିବ କିଏ ? ସେ ଆପେ ଗଲା, ଯାଇ କରି ଘାତକକୁ କହିଲା, ‘‘ଭାଇ, ଘୋଡ଼ାଟି କି ତ ହାଣିଲୁ, ମୁଁ ତତେ ଦାନ୍ତୁରୁ କୁଟା ହେଉଚି, ତାର ସେଇ ମଲା ମୁଣ୍ଡଟି ନେଇ ରଜାଘର ନଅର ଚାଡ଼ି ଦୁଆରେ ଲଟକେଇ ଦେଇ ଥା ଯେ, ମୁଁ ହେଲେ ତାକୁ ଗଲାଆସିଲା ବେଳେ ଦେଖୁଥିବି ।’’ ଘାତକ ହଁ କଲା, ସେଇମିତି ନେଇ ବାଡ଼ିଦୁଆର ପାଖେ କାନ୍ଥରେ କଣ୍ଟାଟେ ମାରି ମୁଣ୍ଡଟିକୁ ଓହଳେଇ ଦେଲା ।

 

ସବୁ ଦିନ କାଳିଅନ୍ଧାରରୁ ଉଠି ମାଳତୀଝରା ମଦନା ସାଙ୍ଗେ ବାଡ଼ି ଦୁଆର ବାଟେ ହଂସ ଚରେଇବାକୁ ନିଏ । ନେଲାବେଳକୁ ସେଇ ମୁଣ୍ଡକୁ ଦେଖି କାନ୍ଦି କରି କହେ :–

 

‘‘ମନମିରିଗ ରେ ମନମିରିଗ,

କପାଳେ ଥିଲା କି ଇ ଦୁରୁଯୋଗ ?’’

 

ତା କଥା ଶୁଣି ସେହି ମଲା ମୁଣ୍ଡାଟା କଥା କହେ–

 

‘‘ମାଳତୀଝରା ଗୋ ମାଳତୀଝରା,

ରାଜଜେମା ହେଇ ଇ ଦୁଃଖ ଥିଲା ।’’

ମାଆ ଯେବେ ଜାଣୁ ଥାଆନ୍ତେ ୟାକୁ

ଦୁଃଖେ ଫାଟି ଯାଉ ଥାଆନ୍ତା ବୁକୁ ।

 

ମାଳତୀ ଆଉ ମଦନା ନଅର ପାରି ହେଇ ପଡ଼ିଆରେ ହଂସ ଛାଡ଼ି ଦିଅନ୍ତି । ଆଉ ତ କିଛି ପାଇଟି ନ ଥାଏ, ମାଳତୀ ନାଳ ତଡ଼ରେ ବସି ବାଳ ଫିଟେଇ ମୁଣ୍ଡ କୁଣ୍ଡାଏ । ରଜାଘର ଝିଅ, ଆଜି ସିନା ଏତେ ହୀନିମାନ; ହେଲେ, କଳା ଭମରପରି ବାଳ ପେଣ୍ଡାକ ମୁକୁଳା କରିଦେଲେ ଗୋଡ଼ ତଳକୁ ଯାଇ ପଡ଼େ । ଦିନେ ମଦନା କ’ଣ କଲା ନା, ତାକୁ ଚଳେଇଲା ପରି ହଠୁଣୁ ଯାଇ ସେଇ ବାଳରୁ ଦି’କେରା ଛିଣ୍ଡେଇ ଦେଲା । ମାଳତୀକୁ କାଟିଲା । ସିଏ ପାଟିକରି କହିଲା :–

 

‘‘ଆ ଆରେ ବତାସି ଆ ଆ

ମଦନା ତଲାରି ନେଇ ଯାଆ ।

ଡେଇଁ ଯାଆ ବଣ ପରବତ

ଇ ମଦନା ହେଉ ହରକତ ।

ମଦନା ଧାଇଁମ ଯେତେବେଳେ

ଖୋଷା ବାନ୍ଧି ଦେବି ସେତେବେଳେ ।’’

 

ୟା ଗାଇଲାରୁ କୁଆଡ଼ୁ ଗୋଟେ ହୁମୁଣ୍ଡିଆ କରି ବତାସି ଆସିଲା ଯେ ମଦନା ମୁଣ୍ଡରୁ ତଲାରିଟାକୁ ଉଡ଼େଇ ନେଇ ଗଲା । ତଲାରିଟା ଗଡ଼ି ଗଡ଼ି ଯାଉଥେ, ମଦନା ତା ପଛେ ପଛେ ଗୋଡ଼େଇଥେ । ଏଣେ ମାଳତୀ ଯାବତାରେ ଖୋଷା ବାନ୍ଧି ଦେଇ ମଦନାକୁ ଚାହିଁ ହସିଲା । ମଦନା ରାଗରେ ମହୁଁଟାକୁ ଥନଥନ କରି ମାଳତୀକୁ ଆଉ କିଛି କହିଲା ନାଇଁ । ଦୀପଲଗା ବେଳ ହେଲାରୁ ଦିହେଁ ଯାକ ହଂସଗୁଡ଼ିକ ଓଡ଼େଇ ନଅରକୁ ଫେରି ଅଇଲେ ।

 

ତା ଆରଦିନ ସକାଳ ହେଲା । ମଦନାର ମାଳତୀର ଯିମିତି ହଂସ ଓଡ଼େଇ ବାଡ଼ି ଦୁଆରଠି ବାହାରିଲେ ମାଳତୀ ଘୋଡ଼ା ମୁଣ୍ଡକୁ ଦେଖି କହିଲା :–

 

‘‘ମନ ମିରିଗରେ ମନମିରିଗ,

କପାଳେ ଥିଲା କି ଇ ଦୂରୁଯୋଗ ?’’

 

ମୁଣ୍ଡ କହିଲା :–

 

‘‘ମାଳତୀଝରା ଗୋ ମାଳତୀଝରା,

ରାଜଜେମା ହେଇ ଇ ଦୁଃଖ ଥିଲା ?

ନାଆ ଯେବେ ଜାଣୁ ଥାଆନ୍ତେ ୟାକୁ

ଦୁଃଖେ ଫାଟିଯାଉ ଥାଆନ୍ତା ବୁକୁ ।’’

 

ଆରଦିନ ପରି ମାଳତୀ ଯାଇ ନାଳ ତଡ଼ରେ ମୁଣ୍ଡ କୁଣ୍ଡାଇ ବସିଲାରୁ ମଦନା ହସି ହସି ଯାଇ ଦି’କେରା ବାଳ ଭିଡ଼ି ଦେଲା । ମାଳତୀ ପାଟିକରି କହିଲା :–

 

‘‘ଆ ଆରେ ବତାସି ଆ ଆ-

ମଦନା ତଲାରି ନେଇ ଯାଆ ।

ଡେଇଁ ଯାଆ ବଣ ପରବତ

ଇ ମଦନା ହେଉ ହରକତ

ମଦନା ଧାଇଁମ ଯେତେବେଳେ

ଖୋଷା ବାନ୍ଧିଦେବି ସେତେବେଳେ ।’’

 

ପବନ ସିମିତି ଆସି ମଦନା ତଲାରିଟିକି ଉଡ଼େଇ ନେଇ ଗଲା । ସେ କାନ୍ଦ କାନ୍ଦ ହେଇ ତା ପଛେ ଧାଇଁଲା। ତଲାରି ଧରି ବାହୁଡ଼ିଲା ବେଳକୁ ମାଳତୀ ଇଆଡ଼େ ଖୋଷା ବାନ୍ଧି ସାରିଲାଣି । ସନ୍ଧିଆ ହେଲା । ଦିହେଁ ଆଉ କିଏ କାହାକୁ କଥା ନ କହି ଘରକୁ ଅଇଲେ ।

 

ତା ଆରଦିନ ମଦନା ମାଳତୀ ସାଙ୍ଗେ ହଂସ ଚରେଇ ନ ନେଇ ସଳଖେ ସଳଖେ ଯାଇ ବୁଢ଼ା ରଜାକୁ କହିଲା, ‘‘ମଣିମା, ମୁଁ ଆଉ ସେଇ ଦାସୀଟା ସାଙ୍ଗରେ ହଂସ ଚରେଇ ପାରିବି ନାଇଁ ।’’

 

ରଜା ପଚାରିଲେ, ‘‘କାଇଁ କି ?’’ ମଦନା କହିଲା, ‘‘ମତେ ସିଏ ବଡ଼ ହରକତ କରୁଚି ।’’

 

ରଜା ଖୋଳି ତାଡ଼ି ପଚାରିଲାରୁ ମଦନା ସେଠୁ ଗୋଟି ଗୋଟି କରି ସବୁକଥା କହିଲା, ‘‘ସବୁଦିନ ସକାଳୁ ଗଲା ବେଳକୁ ସିଏ କ’ଣ କରୁଚି କି ସେହି ବାଡ଼ି ଦୁଆର ପଟେ ଗୋଟେ ମଲା ଘୋଡ଼ା ମୁଣ୍ଡ ଦେଖି କାନ୍ଦୁଚି । କାନ୍ଦିକରି ତାକୁ କହୁଚି :–

 

ମନମିରିଗ ରେ ମନମିରିଗ,

କପାଳେ ଥିଲା କି ଇ ଦୁରୁପଯୋଗ ?’

 

ତା କଥା ଶୁଣି ସେ ମୁଣ୍ଡଟା କହୁଚି :–

 

‘ମାଳତୀଝରା ଗୋ ମାଳତୀଝରା,

ରାଜଜେମା ହେଇ ଇ ଦୁଃଖ ଥିଲା ?

ମାଆ ଯେବେ ଜାଣୁ ଥାଆନ୍ତେ ୟାକୁ,

ଦୁଃଖେ ଫାଟିଯାଉ ଥାଆନ୍ତା ବୁକୁ ।

 

ଇ ଇତୁରୁ ମାଳତୀ କିମିତି ପଡ଼ିଆକୁ ଯାଇ ବାଳ କୁଣ୍ଡେଇ ବସେ, ଇଏ ବାଳ ଭିଡ଼ିଲେ ସିଏ କିମିତି ପବନକୁ ଡାକେ, ପବନ କିମିତି ଆସି ତା ତଲାରିଟାକୁ ଉଡ଼େଇ ନେଇଯାଏ, ଇଏ କାନ୍ଦି କାନ୍ଦି ଗୋଡ଼ାଏ-ସବୁକଥା ରଜାଙ୍କ ଆଗରେ କହିଦେଲା । ରଜା ସେଠୁ ମଦନାକୁ କହିଲେ, ‘‘ହଉ ବୁଝିବା, ତୁ ଯାଉଥା ।’’

 

ରଜା ତା ଆରଦିନ ସକାଳୁ ଉଠି ବାଡ଼ିଦୁଆର ପାଖେ ଲୁଚି କରି ବସିଲେ । ମଦନାର ମାଳତୀର ହଂସ ଓଡ଼େଇ ଆଣିଲେ, ମାଳତୀ ଘୋଡ଼ା ମୁଣ୍ଡ ପାଖେ ଲୁହ ବୁହାଇ କହିବାରୁ ମୁଣ୍ଡଟା ମଣିଷ ପରି କଥା କହିଲା । ରଜା ସବୁ ଶୁଣିଲେ । ସେଠୁ ଯାଇ ଯୋଉଠି ସେମାନେ ହଂସ ଚରାନ୍ତି ସେଇ ପଡ଼ିଆରେ ଗୋଟିଏ ବୁଦା ମୂଳେ ଲୁଚିକରି ରହିଲେ । ହଂସ ଛାଡ଼ି ଦେଇ ମାଳତୀ ମୁଣ୍ଡ କୁଣ୍ଡାଉଚି, ମଦନା ଗଲା, ବାଳ ଦି’କେରା ଭିଡ଼ି ଦେଲା । ମାଳତୀ ପାଟିକରି କହିଲା :–

 

‘‘ଆ ଆରେ ବତାସି ଆ ଆ

ମଦନା ତଲାରି ନେଇ ଯାଆ ।

ଡେଇଁ ଯାଆ ବଣ ପରବତ

ଇ ମଦନା ହେଉ ହରକତ ।

ମଦନା ଧାଇଁମ ଯେତେବେଳେ

ଖୋଷା ବାନ୍ଧିଦେବି ସତେବେଳେ ।

 

ବତାସୀ ଆସି ମଦନା ତଲାରିଟିକୁ ଉଡ଼େଇ ନେଇଗଲା । ରଜା ୟା ଦେଖି ଉଆସକୁ ଫେରି ଅଇଲେ ।

 

ସନ୍ଧିଆ ବେଳେ ରଜା ମାଳତୀକୁ ଉଆସକୁ ଡକେଇଲେ । ତାକୁ ସବୁ କଥା ପଚାରିଲେ-। ସେ କହିଲା, ‘‘କହିଲେ ମୁଣ୍ଡକାଟ ଯେବେ ଛାଡ଼ ହେବ ତେବେ କହିବି ।’’ ତାର ଭୟ, ରାଣୀ ତାକୁ ହାଣିଦବ ବୋଲି ଡରେଇଚି । ରଜାଙ୍କଠୁଁ ହୁବ ପାଇଲାରୁ ସେ ସବୁ କଥା-ଘରୁ ଆସିଲା ଦିନୁ ଇ ପରିଯନ୍ତେ ଯେତେ ଯେତେ କଥା ହେଇ ଯାଇଚି-ଗୋଟି ଗୋଟି କରି କହିଦେଲା । ରଜା ତା ଶୁଣି କାନ୍ଦି ପକେଇଲେ । ଗନ୍ତାଘରୁ କେତେ ପାଟପତନି ଅଳଙ୍କାର ଅଣାଇ ତାକୁ ମଣ୍ଡାଇ ଦେଲେ । ସିଏ ସାକ୍ଷ୍ୟାତ ଅପସରୀଟିଏ ପରି ଦିଶିଲା । ଇ ଉତୁରୁ ପୁଅକୁ ଡକେଇ ସବୁ କଥା କହିଲେ । ପୁଅ ମାଳତୀଝରା ହାତ ଧରି ଉଆସକୁ ନେଇଗଲା । ଇ କଥା ରାଇଜଯାକ ନାଗରା ପିଟା ହେଲା । ଯୋଉ କଳାବତୀ ଦାସୀ ରାଣୀ ହେଇଥିଲା ରଜା ତାକୁ ପାଇକ ହାତରେ ପିଟେଇଲେ । ସିଏ ଯାହା ଯାହା କରିଥିଲା ସତ ସତ ସବୁ କହିଦେଲା । ତାପରେ ତାକୁ ସାତ ଗଡ଼କରି ହଣାଇ, ତଳକଣ୍ଟା ଉପରକଣ୍ଟା କରି ପୋତେଇ ଦେଲେ । ଇ ଦିହେଁ ରଜା ରାଣୀ ହେଇ ଯୁଗୁରାଇଜ କଲେ, ପୁଅ ଝିଅ ଦେଖିଲେ, ନାତି ନାତୁଣୀ ଦେଖିଲେ । ଯାହାପାଇଁ ଯିଏ ଜନମ ଦଇବ ତା ଆଗରୁ ଖଞ୍ଜି ଦେଇଥେ-

Image